ତୋ ଦୁନିଆ ! ( ବିସ୍ତୃତ କବିତା )

ଶାଶ୍ବତରେ……..
ତୋ ଦୁନିଆ ଭାରି ଭଲ
ମୋ ଦୁନିଆଠାରୁ

ତୋ ସଂସାରେ ନାହିଁ
ଅବସାଦ / ବିସାଦ
ଛନ୍ଦ ଓ କପଟ
ତୁ ଜାଣିନୁ ମାୟା ଓ ଯନ୍ତ୍ରଣା
ତୋ ଦୁନିଆରେ ଭରପୁର ଖାଲି
ଆନନ୍ଦ ହିଁ ଆନନ୍ଦ
ଐଶ୍ୱରୀୟ ଚେତନାରେ
ମସଗୁଲ ତୁହି
ହସ ତୋର ଅନୁପମ ଅମୁଲ୍ୟ
ତୋର ନିଦ୍ରାରେ ଗଭୀର ପ୍ରଶାନ୍ତି
ଚିନ୍ତା ଓ ଚେତନାରେ
ଖାଲି ସରଳତା |

କିନ୍ତୁ ଶାଶ୍ବତରେ …..
ମୋ’ ଦୁନିଆ
ପୁରା ଭିନ୍ନ ତୋ ଦୁନିଆଠାରୁ
ଜଟିଳ / ପଂକିଳ ମୋ’ ଜୀବନ
ବିକୃତ ମୋ ଚିନ୍ତା ଓ ଚେତନା
ଯନ୍ତ୍ରଣା ମୋ ଚିର ସହଚର
ହିଂସା /ଦ୍ୱେଷ /କପଟତା ଏବେ ସାଥି ମୋର |

ଶାଶ୍ବତରେ …..
ଫେରି ପାରନ୍ତି କି
ତୋ’ ଦୁନିଆ କୁ ଥରେ
ଲଭି ପାରନ୍ତି କି ପୁଣି
ତୋ ପରି ସ୍ବର୍ଗୀୟ ଆନନ୍ଦ …….

– କବି କୁମାର ଚିନ୍ମୟ

ମା ‘

ମୂଳ ମରାଠୀ – ନାମଦେବ ଢସାଲ
ଓଡ଼ିଆ ରୂପାନ୍ତର – କବି କୁମାର ଚିନ୍ମୟ

ଏଇଥି ପାଇଁ ଦୁଃଖ ଲାଗୁନାଇଁ ଯେ ମାଁ ଚାଲିଗଲା
ସଭିଙ୍କର ମାଁ କେବେ ନ କେବେ ଚାଲିଯାନ୍ତି,
ଏହା ହିଁ ତ ଅପ୍ରିୟ ସତ୍ୟ |
ଅବଶୋଷ ଏଇଥି ପାଇଁ ଯେ, ଅଜ୍ଞାନ ର ଅନ୍ଧାର ଭିତରେ
ସେ ଜୀବନର ମାନେ ଖୋଜି ବସି ଗାଁ ଛାଡିଲା
ଭିଟାମାଟି ଛାଡ଼ିଲା ବେଳେ ନିଜ ମାଁ ର ଶବ ଛାଡ଼ି ପଳାଇ ଆସିଲା
ତା ବାପା ଆଗରୁ ସହର କୁ ଆସି ସାରିଥାଏ
ଜୀବନ ଖୋଜି ଖୋଜି ନୟାନ୍ତ ହୋଇ ସାରିଥାଏ |

ଭରା ଯୌବନ ଧରି ମାଁ ସହରକୁ ଆସେ
କଷ୍ଟ ସହି ସମସ୍ୟାର ମୁକାବିଲା କରେ, ବାସି ରୁଟି ଖାଏ ଖରାକୁ ପିଠି କରି
ତଥାପି ତା ଅଦ୍ଭୁତ ଅନ୍ଵେଷା ଜାରି ରହିଥାଏ
ତା’ର ଯୌବନ ଏମିତି ହିଁ ଝଲସୁ ଥାଏ / ଚମକୁ ଥାଏ ପଙ୍କ ଭିତରେ ପଦୁଅଁ ପରି
ମୋ’ ବାପା ମାଂସ ଦୋକାନର କଂସେଇ ହିଁ ଥିଲା
ଟିକ ଟିକ ହାଣୁଥିଲା ମନ ଓ ଶରୀର
ପ୍ରତି ରାତିରେ ପାଶବିକ ପ୍ରବୃତ୍ତିର ପୁନରାବୃତ୍ତି ହିଁ କରେ |
ରକ୍ତ ରେ ଭିଜି ଭିଜି ସବୁ ସହିଯାଏ ମାଁ |

ସହରର ଗଳି- ଅର୍ଗଳୀରେ ସମସ୍ୟାର ସାମ୍ନା କରି କରି
ବାପାଠୁଁ ଆଗରୁ ମରିଯାଏ ଓ ସଧବାର ସମ୍ମାନ ପାଏ
ବାପା ଏବେ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ର ଅପେକ୍ଷ୍ୟାରେ
ମା’ ଆଗରୁ ବାପା ଯଦି ରୋଗାକ୍ରାନ୍ତ ହେଇ ମରି ଯାଇଥାନ୍ତା, ତେବେ…..
ମୋ’ ପାଇଁ ଅନୁଶୋଚନା ହିଁ ନ ଥାନ୍ତା କେବେ !

ଏଇଥିପାଇଁ ଦୁଃଖ ଯେ, ମା’ର ସ୍ବୀକାରୋକ୍ତିରେ ସେ ବି ସାମିଲ ଥିଲା
ଦୁହେଁ ଦରିଦ୍ରତାର ପାଦ ଢାଳି ଲକ୍ଷ୍ମୀପୂଜନ କରି ଦାରିଦ୍ର୍ୟ ବରଣ କଲେ
ପ୍ରତି ଦୀପାବଳି ମୋ ପାଇଁ ଏମିତି ହିଁ ଆସେ ଓ ଯାଏ
ଜୀବନର ଛୋଟ ଛୋଟ ଅଭୀପ୍ସା ରୂପକ ଦୀପ ସବୁ ଲିଭି ସାରି ଥାଏ
ନିଜ ଛୋଟ ଦୁନିଆର ଅର୍ଥ କେବେ ଜାଣିପାରେ ନାହିଁ ମା ମୋର
ଆକାଶ କୁ ହାତ ଟେକି ସେ କହେ – ” ତାର ବିନା ନିର୍ଦେଶରେ ସାଧାରଣ
ଗଛର ପତ୍ର ଟିଏ ବି ହଲେ ନାଇଁ ”

ଏଇଥିପାଇଁ ଦୁଃଖ ଲାଗୁନି ଜେ ମାଁ ଚାଲିଗଲା
ସମସ୍ତଙ୍କ ମାଁ ଦିନେ ନା ଦିନେ ଏମିତି ଚାଲି ଯାଇଥାନ୍ତି
ଯାହା କି କେବେ କଳନା କରି ହୁଏନାହିଁ / ସହି ହୁଏନାହିଁ
ତଥାପି ସହୁଥାଏ ମଣିଷ ସେଇ ଦୁଃଖକୁ ପିଠିରେ ବୋଝେଇ ବୋଝେଇ |